ଶାବର ସଂସ୍କୃତିର ପ୍ରତୀକ ,ସାବର ଶ୍ରୀକ୍ଷେତ୍ର ,କୋରାପୁଟ
ରଥ ଯାତ୍ରା ବେଳେ ଶବର ଆଦିବାସୀ ସଂପ୍ରଦାୟର ଲୋକେ ଦଇତାପତିର ଭୂମିକା ନିର୍ବାହ କରନ୍ତି । ରଥ ଉପରେ ପ୍ରଭୁ ଜଗନ୍ନାଥଙ୍କୁ ଛେରା ପହଁରା ପରେ ପ୍ରଥମେ ଶବରମାନେ ଆଣିଥିବା ଫଳମୂଳ ଭୋଗ କରାଯାଏ ଏହା ପରେ ଅନ୍ୟ ମାନେ ଆଣିଥିବା ଭୋଗ କରାଯାଏ । ପୁରୀ ଶ୍ରୀମନ୍ଦିରରେ ରଥଯାତ୍ରା ସମୟରେ ଠାକୁର ରାଜା ଗଜପତି ମହାରାଜ ଛେରା ପହଁରା କରିବାର ବ୍ୟବସ୍ଥା ଥିଲାବେଳେ ଏଠାରେ କିନ୍ତୁ ଆଦିବାସୀ ନାୟକ ଛେରା ପହଁରା କରିବାର ବ୍ୟବସ୍ଥା ଅଛି । ରଥ ଉପରେ ଆଦିବାସୀ ନାୟକଙ୍କୁ ଶିରୋପା ବାନ୍ଧି ସମ୍ମାନୀତ କରାଯାଏ ।
ଏଠାରେ ପୂଜା ପାଉଥିବା ତିନି ଠାକୁରଙ୍କ ପାବନ ପ୍ରତିମୂର୍ତି ପାଞ୍ଚ ଦଶକ ତଳେ ନିର୍ମିତ ହୋଇଥିଲା । ଏଠାରେ ପୂଜା ପାଉଥିବା ଶ୍ରୀ ଜୀଉ ମାନଙ୍କ ବିଗ୍ରହ ଗୁଡିକ 1969 ମସିହାରେ ଶ୍ରୀମନ୍ଦିର ରେ ହୋଇଥିବା ନବକଳେବର ପରେ ଅବଶେଷ ଦାରୁରେ ନିର୍ମିତ ହୋଇଛି । ଏହି ବିଗ୍ରହ ଗୁଡିକ ଠାକୁର ରାଜା ଗଜପତିଙ୍କ ଉପସ୍ଥିତିରେ ସିଂହାସନାରୂଢ ହୋଇଛନ୍ତି ।
ଶାବର ଶ୍ରୀକ୍ଷେତ୍ର କୋରାପୁଟ ସହରର ମଧ୍ୟ ଭାଗରେ ଥିବା ଏକ ଛୋଟ ପାହାଡ ଉପରେ ଅବସ୍ଥିତ । ଏଠାକୁ ଚାଲି ଚାଲି ଯିବାକୁ ପାହାଚ ରହିଛି କିମ୍ବା ଗାଡି ସାହାଯ୍ୟରେ ଯିବାପାଇଁ ରାସ୍ତା ମଧ୍ୟ ରହିଛି । ମନ୍ଦିରଟି ଦେଖିବାକୁ ଯେତେ ଆକର୍ଷଣୀୟ ଏହା ସେତେ ଐତିହାସିକ ମଧ୍ୟ । ଏହା ସର୍ବ ଧର୍ମ ସମନ୍ମୟ ର ଏକ ପ୍ରତୀକ ଅଟେ । ଏହି ମନ୍ଦିରର ଏକ ବିଶେଷତ୍ଵ ହେଲା ,ଏଠାକୁ ସମସ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥାଏ । କେବଳ ହିନ୍ଦୁ ଧର୍ମ ନୁହ ଆନ୍ୟାନ୍ୟ ସମସ୍ତ ଧର୍ମାବଲମ୍ବି ଲୋକମଧ୍ୟ ଏଠାରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହିତ ପ୍ରସାଦ ସେବନ ମଧ୍ୟ କରିପାରିବେ ।
ମଦିର ପରିଶରରେ ଅନେକ ଛୋଟ ଛଟ ମନ୍ଦିର ରହିଛି । ଯେଉଠି ପୂଣ୍ୟ ଭୂମି ଭାରତର ସମସ୍ତ ପ୍ରସିଦ୍ଧ ଦେବାଦେବୀ ମାନଙ୍କ ପ୍ରତିମା ରହିଛି । ଅମରନାଥ ,ବଦ୍ରୀନାଥ ଠାରୁ ଆରମ୍ଭ କରି କନ୍ୟାକୁମାରୀ ରାମେଶ୍ଵର ପର୍ଯ୍ୟନ୍ତ ସମସ୍ତ ହିନ୍ଦୁ ଦେବା ଦେବୀଙ୍କ ପ୍ରତିମା ଏଠାରେ ପୂଜା ପାଉଛନ୍ତି । ଏହାକୁ ଆସିଲେ ଭାରତର ସମସ୍ତ ଦେବା ଦେବୀଙ୍କ ଦର୍ଶନ କରିବାର ସୁଯୋଗ ମିଳିଥାଏ । ସେହି ଭଳି ମନ୍ଦିର ପରିଶରରେ ଅନ୍ୟ ଏକ ସ୍ଥାନରେ ଓଡିଶାର ସମସ୍ତ ପ୍ରଶିଦ୍ଧ ଦେବା ଦେବୀଙ୍କ ଛୋଟ ଛୋଟ ମନ୍ଦିର ରହିଛି । ଦଳ ମଣ୍ଡପର ଉତ୍ତରପଟେ ରହିଛି ଏକ ଚମ୍ପାବନ ଏହାର ଭିତରେ ପୂଜା ପାଉଛନ୍ତି ସବର ମାନଙ୍କ ଆରାଧ୍ୟ ଦେବତା ମତରବମ ବା ଅକ୍ଷରବ୍ରହ୍ମଙ୍କ ମନ୍ଦିର ।
ଶବର ଶ୍ରୀକ୍ଷେତ୍ର ଏକ ବହୁମୂଖୀ ଅନୁଷ୍ଠାନ । ଏହା କେବଳ ଏକ ଉପାସନା ସ୍ଥଳୀ ନୁହେ ,ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତି ଉପରେ ଗବେଷଣା କରିବା ପାଇଁ ଏଠାରେ ରହିଛି ଶାବର ସଂସ୍କୃତି ଗବେଷଣା କେନ୍ଦ୍ର । ସମୟ କ୍ରମେ ଏଠାରେ ଗଢି ଉଠିଛି ଆଦିବାସୀ ସଂଗ୍ରହାଳୟ । ଏଠାରେ ପ୍ରଦର୍ଶିତ ହୋଇଛି ଆଦିବାସୀ ଜୀବନ ଧାରା ସହିତ ସଂଶ୍ଳିଷ୍ଠ ଅନେକ ସାମଗ୍ରୀ ।
ଶବର ଶ୍ରୀକ୍ଷେତ୍ରର ଆଦିପିଠ ମନ୍ଦିରର ପଶ୍ଚିମ ଦିଗରେ ଥିବା ନିଶାନିମୁଣ୍ଡା ଗ୍ରାମରେ ଅବସ୍ଥିତ । ଏହା ହେଉଛି ନିଶାନିମୁଣ୍ଡା ଗ୍ରାମର ଗ୍ରାମ ଦେବୀ । ଏହି ପିଠାକୁ ମୂଳ କରି ସବରଶ୍ରୀକ୍ଷେତ୍ର ପ୍ରତିଷ୍ଠିତ ହୋଇଥିଲା । ଏହି ଗ୍ରାମ ଦେବୀଙ୍କ ପ୍ରତିନିଧି ରୂପେ ମା ପର୍ଣଶବରୀ ମନ୍ଦିର ବେଢାରେ ପୂଜା ପାଆନ୍ତି ।
Comments
Post a Comment